ଝାରସୁଗୁଡା : ସାରା ଦେଶରେ ଜାରି ରହିଛି ଲକଡାଉନ୍ । ଏହି ସମୟରେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି । କେତେକ ସ୍ଥାନରେ ପ୍ରବାସୀଙ୍କଠାରୁ ନିକଟ ସମ୍ପର୍କୀୟ ଦୂରେଇ ଯାଉଥିବା ଖବର ମଧ୍ୟ ସାମ୍ନାକୁ ଆଶିଛି । ତେବେ ଏହି ସମୟରେ ଝାରସୁଗୁଡା ପୋଲିସ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।
ପ୍ରବାସୀଙ୍କଠାରୁ ସମସ୍ତେ ଦୂରେଇ ରହିବା ସହ ସେମାନଙ୍କ କ୍ବାରେଣ୍ଟାଇନ ବ୍ୟବସ୍ଥା ରହିଥିଲେ ମଧ୍ୟ ଜଣେ ମହିଳାଙ୍କ ପ୍ରସବ ବେଦନା ସହି ପାରିନଥିଲେ ଝାରସୁଗୁଡା ଥାନା ଆଇଆଇସି ସାବିତ୍ରୀ ବଳ। ଶେଷରେ ସେ କୋଭିଡ ଭୟ ତ୍ୟାଗ କରିବା ସହ ସାମାଜିକ ଦୂରତା କଥା ମଧ୍ୟ ଭୂଲି ଯାଇଥିଲେ ଏବଂ ଗତକାଲି ୨୪ ମେ, ପୋଲିସ ଗାଡ଼ିରେ ଶିଶୁକନ୍ୟା ଜନ୍ମଦେଲେ ପ୍ରବାସୀ ମହିଳା ।
ମହିଳା ଜଣକ ହାଇଦ୍ରାବାଦରୁ ଶ୍ରମିକ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରେ ବିହାରର ଦାନାପୁର ଯାଉଥିବାବେଳେ ବାଟରେ ଗର୍ଭ ଯନ୍ତ୍ରଣା ଅନୁଭବ କଲେ। ମହିଳାଙ୍କ କଷ୍ଟ ଜାଣିବା ପରେ ଝାରସୁଗୁଡା ରେଳ ଷ୍ଟେସନରେ ଟ୍ରେନ ଅଟକିଲା ।
ଝାରସୁଗୁଡା ଷ୍ଟେସନରେ ଷ୍ଟପେଜ୍ ନଥିବା ସତ୍ତ୍ୱେ ଟ୍ରେନକୁ ଅଟକାଇବାକୁ ପଡିଥିଲା। ପୂର୍ବସୂଚନା ପାଇ ପ୍ରସ୍ତୁତ ଥିବା ପୋଲିସ ଆମ୍ବୁଲାନ୍ସ ପହଞ୍ଚିବା ଡେରି ହେବାରୁ ଝାରସୁଗୁଡା ଥାନା ଆଇଆଇସି ପୋଲିସ ପିସିଆର ଗାଡିରେ ମହିଳାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ଶିଶୁକନ୍ୟା ଜନ୍ମଦେଲେ ସମ୍ପୃକ୍ତ ମହିଳା। ପୋଲିସ ଉଭୟ ମା ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।
